Saturday, January 13, 2018

ସ୍ୱପ୍ନର ସ୍ମାର୍ଟ ସହର - ଭୂବନେଶ୍ୱର

ସମୟ ସକାଳ ୧୦ଟା, ନନ୍ଦବାବୁ ସବୁଦିନ ପରି କାର ନେଇ ଅଫିସ୍ ଅଭିମୁଖେ ବାହାରିଥିଲେ | ମନେ ମନେ ଗାଳି ଗୁଡାଏ ଅଭ୍ୟାସ କରୁଥାନ୍ତି | ଅଟୋବାଲା, ଷ୍ଟାଇଲ୍ ରେ ଚଲାଉଥିବା ବାଇକବାଲା, ବିନା ଇଣ୍ଡିକେଟର୍ ରେ ଏପଟ ସେପଟ ହଉଥିବା ଗାଡିବାଲାଙ୍କୁ ବହେ ନସୋଧିଲେ ତାଙ୍କ ମନ ଶାନ୍ତ ହୁଏନି | ହେଲେ ଆଜି ସମସ୍ତଙ୍କୁ ହେଇଛି କଣ? ସବୁ ଲୋକ ସେଇ ଅଧା ଲିଭିଯାଇଥିବା ଧଳା ଲାଇନି ଭିତରେ ଚଲାଉଛନ୍ତି! ଲାଇନି ବଦଳାଇଲା ପୂର୍ବରୁ ଇଣ୍ଡିକେଟର୍ ଦେଉଛନ୍ତି! ବାଇକବାଲା ସବୁ ହେଲମେଟ୍ ପିନ୍ଧିଛନ୍ତି ଆଉ ଡାହାଣ ପଟେ ଓଭରଟେକ୍ କରୁଛନ୍ତି! ଅଟୋବାଲା ରାସ୍ତା ମଝିରେ ମନ ଇଚ୍ଛା ଗାଡି ନ ଅଟକାଇ ରାସ୍ତାକଡରେ ରଖୁଛନ୍ତି! ଏସବୁ ଭାବି  ଭାବି ନନ୍ଦବାବୁ ପହଞ୍ଚିଗଲେ ଜୟଦେବବିହାରରେ | ଏଇଠୁ ଇନ୍ଫୋସିଟି ଯିବାକୁ ତାଙ୍କୁ ଚାଳିଶି ମିନିଟ୍ ଲାଗିଯାଏ ଆଉ ଗାଳିଦେବା ପରିମାଣ ବି ବଢିଚାଲେ | ଆଶ୍ଚର୍ଯ୍ୟର କଥା ଯେ ଏଠିବି ସବୁ ଅଟୋବାଲା ଗୋଟିଏ ଧାଡିରେ ଚଲାଉଥିଲେ | ନନ୍ଦବାବୁଙ୍କର ସେତେବେଳେ ଲୁହ ବାହାରିଗଲା ଯେବେ ଅଟୋବାଲାଟେ ଓଭରଟେକ ନକରି ଓଲଟା ପାଖ ଛାଡିଦେଲା ତାଙ୍କୁ ଯିବାପାଇଁ | ତା' ସାଙ୍ଗକୁ ବସ୍ ଗୁଡା ସରକାର ତିଆରି କରିଥିବା ବସଷ୍ଟପ୍ ରୁ ହିଁ ଲୋକଙ୍କୁ ଉଠାଉଥିଲେ, ଲୋକମାନେ ଧାଡିରେ ଠିଆ ହୋଇ ଜଣଙ୍କ ପରେ ଜଣେ ବସ୍ ରେ ଚଢୁଥିଲେ | ଲୋକଗୁଡା ଦଉଡି ଦଉଡି ବସ୍ ରେ ଚଢୁଥିବା ଦୃଶ୍ୟ ଆଜି ଦେଖିବାକୁ ମିଳୁନଥିଲା | ଡମଣା ଛକ ପହଞ୍ଚିବାକୁ ଆଜି ମାତ୍ର ୧୦ ମିନିଟ ଲାଗିଲା | ସେଇଠୁ ଶୈଳଶ୍ରୀବିହାର୍ ଗଲାବେଳେ ଓଲଟା ଦିଗରେ ଆସିବା ଲୋକ ଅଧିକା, ନନ୍ଦବାବୁଙ୍କୁ ପେଁ ପେଁ ହର୍ନ୍ ବଜେଇ ଯିବାକୁ ହୁଏ | ଏମିତି ରାତାରାତି କଣ ହେଇଗଲା ଭାବୁ ଭାବୁ ଗୋଟେ ଗାଡି ଆସି ନନ୍ଦବାବୁଙ୍କ ଗାଡିକୁ ପଛଆଡୁ ଶକ୍ତ ଧକ୍କାଟେ ଦେଲା ଆଉ ଜୋରରେ ହର୍ନ୍ ବଜେଇବାକୁ ଲାଗିଲା | ନନ୍ଦବାବୁଙ୍କୁ ହଠାତ୍ ଜଣା ପଡିଲାନି କଣ ହେଲା, ଗାଡିଟା ବାରମ୍ବାର ଧକ୍କା ଦେଇଚାଲିଛି ଆଉ ହର୍ନ୍ ମାରିଚାଲିଛି! ଆଉ ଗୋଟେ ଶକ୍ତ ଧକ୍କାରେ ନନ୍ଦବାବୁଙ୍କର ନିଦ ଭାଙ୍ଗିଗଲା | ଶ୍ରୀମତୀ ସେତେବେଳୁ ପିଠିକୁ ହଲେଇ ଉଠଉଛନ୍ତି ଆଉ ଆଲାର୍ମଟା ତିନିଥର ଖଣ୍ଡେ ବନ୍ଦ ହେଇ ପୁଣି ବାଜିଲାଣି | ନନ୍ଦବାବୁଙ୍କୁ ଶୀତ ଦିନିଆ ରେଜେଇଘୋଡା ନିଦ ଛାଡି ଉଠିବାକୁ ହେବ ଆଉ ପୁଣି ସେଇ ଗାଳିଗୁଲଜ କରି ଅଫିସ ଯିବାକୁ ହେବ |